AQI.inରେ ଉପଲବ୍ଧ ତଥ୍ୟ ଅନୁସାରେ, ରାତି ୧୧ଟା ସମୟରେ ଭୁବନେଶ୍ୱରର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୧୪୪୪ ରେକର୍ଡ ହୋଇଥିଲା। ଅନ୍ୟପଟେ ସେହି ସମୟରେ ଦେଶର ରାଜଧାନୀ ଦିଲ୍ଲୀର AQI ୭୨୦ ରହିଥିଲା। ଅର୍ଥାତ୍ ଉକ୍ତ ସମୟର ତଥ୍ୟ ଅନୁଯାୟୀ ଭୁବନେଶ୍ୱରର ପ୍ରଦୂଷଣ ସ୍ତର ଦିଲ୍ଲୀଠାରୁ ଦୁଇଗୁଣରୁ ଅଧିକ ରହିଥିଲା।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ସନ୍ଧ୍ୟାରୁ ହିଁ ରାଜଧାନୀରେ ବାୟୁ ପ୍ରଦୂଷଣ ବଢ଼ିବା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୭ଟାରେ AQI ୨୫୮ ରହିଥିବାବେଳେ ସାଢ଼େ ୮ଟା ବେଳକୁ ଏହା ୮୫୯ରେ ପହଞ୍ଚିଥିଲା। ରାତି ୯ଟାରେ ୧୦୯୧ ଏବଂ ରାତି ୧୧ଟାରେ ସର୍ବୋଚ୍ଚ ସ୍ତର ୧୪୪୪ ରେକର୍ଡ ହୋଇଥିଲା।
କେବଳ AQI ନୁହେଁ, ବାୟୁରେ ଥିବା ଅତି ସୂକ୍ଷ୍ମ ଧୂଳିକଣାର ମାତ୍ରା ମଧ୍ୟ ଚିନ୍ତା ବଢ଼ାଇଛି। ରାତି ୯ଟା ସମୟରେ PM2.5ର ମାତ୍ରା ଘନ ମିଟର ପ୍ରତି ୬୨୨ ମାଇକ୍ରୋଗ୍ରାମ୍ ଏବଂ PM10ର ମାତ୍ରା ୭୫୦ ମାଇକ୍ରୋଗ୍ରାମ୍ ରେକର୍ଡ ହୋଇଥିବା ତଥ୍ୟରେ ଉଲ୍ଲେଖ ରହିଛି।
ରାତି ୧୧ଟା ପରେ ପ୍ରଦୂଷଣ ସ୍ତର ଧୀରେ ଧୀରେ ହ୍ରାସ ପାଇଥିଲା। ସାଢ଼େ ୧୧ଟାରେ AQI ୧୩୪୫, ରାତି ୧୨ଟାରେ ୧୦୮୦ ଏବଂ ରାତି ୧ଟାରେ ୯୦୮କୁ ଖସିଥିଲା। ରାତି ସାଢ଼େ ୩ଟା ବେଳକୁ ଏହା ୩୦୫ରେ ପହଞ୍ଚିଥିଲା। ତେବେ ପରବର୍ତ୍ତୀ ସମୟରେ ମଧ୍ୟ ଭୁବନେଶ୍ୱରର ବାୟୁ ଗୁଣବତ୍ତା ସ୍ୱାଭାବିକ ସ୍ତରକୁ ଫେରିନଥିବା ତଥ୍ୟରେ ଦର୍ଶାଯାଇଛି।
ଦୀପାବଳି ଭଳି ଆଲୋକର ପର୍ବରେ ବାଣ ଫୁଟାଇବା ଓ ଆତସବାଜି ଯୋଗୁଁ ବାୟୁମଣ୍ଡଳରେ ଧୂଆଁ, ଧୂଳିକଣା ଓ ଅନ୍ୟାନ୍ୟ ପ୍ରଦୂଷକର ମାତ୍ରା ବଢ଼ିବା ନେଇ ପରିବେଶବିତ୍ମାନେ ଚିନ୍ତା ପ୍ରକାଶ କରୁଛନ୍ତି। ବିଶେଷକରି ଶିଶୁ, ବୟସ୍କ ଓ ଶ୍ୱାସକ୍ରିୟା ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏଭଳି ପ୍ରଦୂଷିତ ବାୟୁ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ।
ତେବେ ଦୀପାବଳି ରାତିରେ ଭୁବନେଶ୍ୱରର AQI ୧୪୪୪ ଛୁଇଁବା ଘଟଣା ରାଜଧାନୀର ପରିବେଶ ସୁରକ୍ଷା ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ପର୍ବପର୍ବାଣୀ ପାଳନ ସହିତ ସ୍ୱଚ୍ଛ ବାୟୁ ଓ ସ୍ୱାସ୍ଥ୍ୟର ସୁରକ୍ଷାକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ଆବଶ୍ୟକ।


